Top 10 News Today | afternoon| 24 April 2024: H1. ଆସନ୍ତା ୫ ଦିନ ଯାଏଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ବା ସିଭିୟର ହିଟଓ୍ୱେଭ୍ ସତର୍କତା ଜାରି କରିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ। ଆଜି ଗଞ୍ଜାମ ଏବଂ ଗଜପତି ଜିଲ୍ଲା ସମେତ ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ବାଲେଶ୍ୱର ଓ ମୟୂରଭଞ୍ଜରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା। ୨୭ ଓ ୨୮ ତାରିଖ ଦିନ କୋରାପୁଟ ଜିଲ୍ଲାକୁ ଛାଡ଼ି ରାଜ୍ୟର ସମସ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଅସହ୍ୟ ଗରମ ଏବଂ ହିଟ୍ ଓ୍ୱେଭ୍ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
H2. ଆଜି ମଧ୍ୟାହ୍ନ ସୁଦ୍ଧା ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି। ଏହାଦ୍ୱାରା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି ରାଜଧାନୀ। ଅପରାହ୍ଣରେ କିଛି ଅଞ୍ଚଳରେ ସାମାନ୍ୟ ବର୍ଷା ହୋଇଥିଲେ ମଧ୍ୟ ଗରମରୁ ତ୍ରାହି ମିଳିପାରି ନାହିଁ। ଝାରସୁଗୁଡ଼ାରେ ୪୨.୯, ଚାନ୍ଦବାଲିରେ ୪୨.୨, ବାଲେଶ୍ୱରରେ ୪୧.୪ ରାଉରକେଲାରେ ୪୦.୮ ଏବଂ ସମ୍ବଲପୁରରେ ୪୦.୧ ଡିଗ୍ରୀ ରେକର୍ଡ କରାଯାଇଛି।
H3. ବିଜୁ ଜନତା ଦଳର ପ୍ରଚାର ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। ହିଞ୍ଜିଳିଠାରୁ ଦଳର ସଭାପତି ନବୀନ ପଟ୍ଟନାୟକ ଏହି ଅଭିଯାନକୁ ଉଦ୍ଘାଟନ କରିବା ସହ ଉପସ୍ଥିତି ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ସେମାନଙ୍କୁ ଏଥର ଉଭୟ ଲୋକସଭା ଓ ବିଧାନସଭା ଲାଗି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅନୁରୋଧ କରିଥିଲେ। ୨୦୨୪ରୁ ୨୦୩୪ ଯାଏ ଯୁବକଙ୍କ ଦଶକ ହେବ ଏବଂ ଏଥିଲାଗି ତାଙ୍କ ସରକାର ସ୍ୱଥନ୍ତ୍ର ଯୁବ ବଜେଟ୍ ଆଣିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
H4. ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଜେପି ଚାର୍ଜଶିଟ୍ ଆଣିଛି। ଏହାର ଶୀର୍ଷକ ରହିଛି ‘ ୨୫ ବର୍ଷର ପାପପେଡ଼ି ଆଉ କେତେଦିନ ସହିବା...’। ଏହାକୁ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଉନ୍ମୋଚନ କରିଥିଲେ। ଚାର୍ଜସିଟ୍ରେ ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସମାଲୋଚନା କରାଯିବା ସହ ଚିଟଫଣ୍ଡ ଦୁର୍ନୀତି, ମହିଳା ବିରୋଧୀ ହିଂସା ସଂପର୍କରେ ଉଲ୍ଲେଖ କରାଯାଇଛି।
H5. କଟକରୁ ବିଧାୟକ ମହମ୍ମଦ ମୋକିମ୍ଙ୍କ ଝିଅ ସୋଫିଆ ଫିରଦୋସ୍ ନିର୍ବାଚନ ଲଢ଼ିପାରନ୍ତି। ଏନେଇ ନଗର କମିଟି ପକ୍ଷରୁ ବିଧିବଦ୍ଧ ଭାବେ ପ୍ରସ୍ତାବ ଦେବାକୁ ଏକ ବୈଠକ କଟକରେ ଅନୁଷ୍ଠିତ ହୋଇଛି। ସୁପ୍ରିମ୍କୋର୍ଟଙ୍କ ପାଖରେ ଦାୟର ସ୍ୱତନ୍ତ୍ର ଆବେଦନରେ ମୋକିମ୍ଙ୍କୁ ଝଟକା ମିଳିବା ପରେ ସେ ନିର୍ବାଚନ ଲଢଧ଼ି ନପାରିବା ସ୍ପଷ୍ଟ ହୋଇଛି। ଏବେ କଟକ- ବାରବାଟୀ ଆସନଲାଗି କଂଗ୍ରେସ ଏବଂ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିନାହାନ୍ତି।
H6. ଆସନ୍ତା କାଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସିବୋ ସୋନପୁରଠାରେ ସେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ଭୁବନେଶ୍ୱର ଆସି କର୍ମୀଙ୍କ ସହ ଆଲୋଚନା କରିବେ। ୨୭ ତାରିଖରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ବ୍ରହ୍ମପୁରଠାରେ ସାଧାରଣ ସଭାକୁ ଉଦ୍ବୋଦନ ଦେବା କାର୍ଯ୍ୟକ୍ରମ ରହିଛି।
H7. ସମ୍ବଲପୁରରେ ଧାନ ସଂଗ୍ରହ ଲାଗି ୬୧ଟି ମଣ୍ଡି ବ୍ୟବସ୍ଥା କରାଯିବ। ଏଠାରେ ପୂର୍ବ ପଞ୍ଜିକୃତ ଚାଷୀମାନେ ନିଜର ଧାନ ବିକ୍ରି କରିପାରିବେ। ଏ ଭିତରେ ୧୫ ହଜାରରୁ ଅଧିକ ଚାଷୀ ପଞ୍ଜିକୃତ ହୋଇଛନ୍ତି। ମେ‘ ୧୦ ତାରିଖରୁ ଆରମ୍ଭ ହେବ ଧାନ ସଂଗ୍ରହ। ସକାଳ ୬ଟାରୁ ୧୧ଟା ଯାଏ ଧାନ କିଣାଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି।
H8. ଢେଙ୍କାନାଳରୁ କଂଗ୍ରେସ ସାଂସଦ ପ୍ରାର୍ଥୀ ଭାବେ ଲଢ଼ୁଥିବା ସସ୍ମିତା ବେହେରା ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଯଦି ସେ ନିର୍ବାଚିତ ହୁଅନ୍ତି ତେବେ ତାଙ୍କ ଦରମା ବାବଦ ପ୍ରାପ୍ୟକୁ ସେ ଢେଙଘ୍କାନାଳ ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା କାର୍ଯ୍ୟରେ ଲଗାଇବେ।
H9. ମେ’ ୬ ତାରିଖରୁ ଆରମ୍ଭ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ। ଏହା ୧୦ ତାରିଖ ଯାଏ ଚାଲିବ। ରାଜ୍ୟ ଭିତରେ ୩୦ଟି ଏବଂ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ରରେ ତିନୋଟି ସିଟିଂରେ ପରୀକ୍ଷା ହେବ। ରାଜ୍ୟର ସରକାରୀ ତଥା ଘରୋଇ କଲେଜ୍ଗୁଡ଼ିକରେ ବିଫାର୍ମା, ଏମ୍ସିଏ, ଏମ୍.ଏସ୍ସି(କମ୍ପ୍ୟୁଟର ସାଇନ୍ସ), ଏମ୍ବିଏ, ଇଣ୍ଟିଗ୍ରେଟେଡ୍ ଏମ୍ବିଏ, ବି.କାର୍ଟ, ଏମ୍.ଟେକ୍, ଏମ୍.ଟେକ୍(ପାର୍ଟ-ଟାଇମ୍), ଏମ୍.ଆର୍କ, ଏମ୍.ପ୍ଲାନ୍, ଏମ୍.ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ବି.ଟେକ୍ ଓ ଲାଟେରାଲ୍ ଏଣ୍ଟ୍ରି ବି.ଫାର୍ମା ପାଠ୍ୟକ୍ରମରେ ନାମଲେଖା ଲାଗି ଏହି ପ୍ରବେଶିକା ପରୀକ୍ଷା ଆବଶ୍ୟକ ହୋଇଥାଏ।
H10. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି ଜେପି ମୋରଗାନ୍ ସିଇଓ ଜାମି ଡିମୋନ। ସେ କହିଛନ୍ତି ଭାରତରେ ମୋଦୀ ଅବିଶ୍ୱସନୀୟ କାର୍ଯ୍ୟ କରିଛନ୍ତି। ସେ ୪୦ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତି ଦେଇଛନ୍ତି ବୋଲି କହିଛନ୍ତି। ୭୦ କୋଟି ଲୋକଙ୍କ ଲାଗି ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପ୍ରଭୃତି ଦୁଃସାଧ୍ୟ କାର୍ଯ୍ୟ କରିଛନ୍ତି ବୋଲି କହିଛନ୍ତି ଡିମୋନ୍।